ଓଡ଼ିଶା ମୁଣ୍ଡ ଉପରେ ଭୂସ୍ଖଳନ ଡ଼ର
ଓଡ଼ିଶା ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତ ? ଆମ ରାଜ୍ୟରେ ଏଭଳି ବିପଦ ନାହିଁ କି ବିପଦର ଆଶଙ୍କା ବି ନାହିଁ?
ଭୁବନେଶ୍ୱର: ନିକଟରେ କେରଳର ୱାୟନଡ୍ ଭୂସ୍ଖଳନରେ ପାଖାପାଖି ୪୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ବି ଶତାଧିକ ନିଖୋଜ । ଏଭଳି ଛାତିଥରା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କେବଳ କେରଳ ନୁହେଁ, ଉତ୍ତର ପଶ୍ଚିମ ହିମାଳୟ, ଉତ୍ତର ପୂର୍ବ ହିମାଳୟ ପାର୍ବତ୍ୟାଞ୍ଚଳ ସହିତ ପଶ୍ଚିମଘାଟ ପର୍ବତମାଳାରେ ବାରମ୍ବାର ଭୂସ୍ଖଳନ ଘଟି ଚାଲିଛି ।
ଓଡ଼ିଶା ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତ କି ?
ଓଡ଼ିଶାରେ ଭୂସ୍ଖଳନ ପ୍ରସଙ୍ଗ ଉଠେ ନାହିଁ । ଏହାର ଅର୍ଥ କ’ଣ ଓଡ଼ିଶା ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତ ? ଆମ ରାଜ୍ୟରେ ଏଭଳି ବିପଦ ନାହିଁ କି ବିପଦର ଆଶଙ୍କା ବି ଆଦୌ ନାହିଁ? ଏହାର ସରଳ ଉତ୍ତର ହଁ, ଆମ ରାଜ୍ୟରେ ବି ଭୂସ୍ଖଳନର ବିପଦ ରହିଛି । ଏଥର କିଛି ଟିଭି ଓ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ଖବର ଦେଖିଲେ ସିଧା ଉତ୍ତର ମିଳିଯିବ । Landslide threat in Odisha.
କିଛି ତଥ୍ୟ, ଖବର
-
ଓଡ଼ିଶାର ଗଜପତି ଜିଲ୍ଲାରେ ଭୂସ୍ଖଳନ, ୨ ମୃତ (ହିନ୍ଦୁ: ଜୁଲାଇ, ୨୦୧୮),
-
କୋରାପୁଟ ଭୂସ୍ଖଳନ: ଜଣେ ମୃତ, ୩ଜଣ ଆହତ (ଟାଇମ୍ସ ଅଫ ଇଣ୍ଡିଆ: ଅଗଷ୍ଟ, ୨୦୧୯),
-
ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ, ୨ ମୃତ (ଦ ନ୍ୟୁ ଇଣ୍ଡିଆନ୍ଏକ୍ସପ୍ରେସ୍)
-
ମାଲକାନଗିରି ଭୂସ୍ଖଳନ, ୩ ମୃତ, ୨ ଆହତ (ଓଟିଭି: ଅକ୍ଟୋବର, ୨୦୨୦)
-
୨୦୨୨ରେ ଗଜପତି ଜିଲ୍ଲାରେ ଭୂସ୍ଖଳନ ଘଟି ୪ଜଣଙ୍କ ମୃତ୍ୟୁ , ୨ ଆହତ
-
୨୦୧୮ରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଭୂସ୍ଖଳନ ଯୋଗୁଁ ୨ ମୃତ, ୫ ଆହତ
-
ମୋହନାରେ ୨୦୨୦ରେ ଭୂସ୍ଖଳନ
-
୨୦୧୯ରେ କୋରାପୁଟ ସହରରେ ଭୂସ୍ଖଳନ ଘଟି ଜଣଙ୍କର ମୃତ୍ୟୁ, ୩ ଆହତ
-
୨୦୧୮ରେ କୋରାପୁଟ ସେମିଳିଗୁଡ଼ାରେ ଭୂସ୍ଖଳନରେ ଜଣଙ୍କର ମୃତ୍ୟୁ, ୨ ଆହତ
-
୨୦୨୦ରେ ରାୟଗଡ଼ା ସହରରେ ୨ଜଣଙ୍କର ମୃତ୍ୟୁ
-
୨୦୧୯ରେ ରାୟଗଡ଼ା ଗୁଡ଼ାରିରେ ଭୂସ୍ଖଳନ, ଜଣଙ୍କର ମୃତ୍ୟୁ
୨୦୧୮ରେ ମାଲକାନଗିରି ଜିଲ୍ଲାରେ ଭୂସ୍ଖଳନରେ ୩ଜଣଙ୍କର ମୃତ୍ୟୁ, ଚିତ୍ରକୋଣ୍ଡାରେ ୨ଜଣଙ୍କର ମୃତ୍ୟୁ ସହ ୩ଜଣ ଆହତ ହୋଇଥିଲେ । ୨୦୧୯ରେ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଭୂସ୍ଖଳନ ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୧୮ରେ ସେହି ଜିଲ୍ଲାର ଜି.ଉଦୟଗିରିରେ ୨ଜଣଙ୍କର ଜୀବନହାନି ଘଟିଥିଲା । ୨୦୨୨ରେ ଗଜପତି ଜିଲ୍ଲାରେ ଭୂସ୍ଖଳନ ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା, ଦୁଇଜଣ ଆହତ ମଧ୍ୟ ହୋଇଥିଲେ ।
ଓଡ଼ିଶାରେ ଭୂସ୍ଖଳନ ଘଟଣା ନୂଆ ନୁହେଁ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ନିୟମିତ ବ୍ୟବଧାନରେ ଏଭଳି ଘଟଣା ଏକାଧିକ ବାର ଘଟିଛି । ଯେଉଁଭଳି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, କେରଳ, ସିକିମ ଭଳି ରାଜ୍ୟରେ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟି ଶହ ଶହ ଲୋକଙ୍କ ଜୀବନହାନି ଘଟୁଛି, ଆମ ରାଜ୍ୟରେ ସେତେ ବଡ଼ ଧରଣର ବିପର୍ଯ୍ୟୟ ଏଯାଏଁ ଦେଖିବାକୁ ମିଳିନାହିଁ । କିନ୍ତୁ ଏଭଳି ବିପର୍ଯ୍ୟୟ ମୁଣ୍ଡ ଉପରେ ରହିଛି । ‘ବେଳ ହୁଁ ସାବଧାନ’ ନୀତି ନ ଆପଣେଇଲେ, ଏହା ବଡ଼ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ।
ଏହାର କାରଣଗୁଡ଼ିକ କ’ଣ?
ପୂର୍ବାଞ୍ଚଳ ଘାଟ ପାର୍ବତ୍ୟାଞ୍ଚଳ ଓଡ଼ିଶାର ପ୍ରାୟ ୧୨୦୦ କି.ମି. ପର୍ଯ୍ୟନ୍ତ ବିସ୍ତୃତ । ମୟୂରଭଞ୍ଜ ଜିଲ୍ଲାରେ ଏହା ସର୍ବାଧିକ ୨୫୦ କି.ମି. ଦୀର୍ଘ ହୋଇଥିବା ବେଳେ କୋରାପୁଟ ଜିଲ୍ଲାରେ ଏହା ସର୍ବନିମ୍ନ ୨୦ କି.ମି. ଦୀର୍ଘ । ପୂର୍ବାଞ୍ଚଳ ଘାଟର କିଛି ପାର୍ବତ୍ୟମାଳା ଭୂସ୍ଖଳନ ପ୍ରବଣ । ସେଥିମଧ୍ୟରେ ରହିଛି ମହେନ୍ଦ୍ରଗିରି ପାହାଡ଼, (ଗଜପତି ଜିଲ୍ଲା), ଦେଓମାଳି (କୋରାପୁଟ), ନିୟମଗିରି (କଳାହାଣ୍ଡି ଓ ରାୟଗଡ଼ା), ଶିମିଳିପାଳ, ଗନ୍ଧମାର୍ଦ୍ଦନ, ଖୋର୍ଦ୍ଧା ପାହାଡ଼ ଓ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ଛୋଟନାଗପୁର ମାଳଭୂମି । Landslide threat in Odisha.
ଜଙ୍ଗଲ ଧ୍ବଂସ ବଡ଼ କାରଣ
ଜଙ୍ଗଲଧ୍ୱଂସ ହେବା ଫଳରେ ଭୂମିର ନମନୀୟତା ବୃଦ୍ଧି ପାଇବା ସଂଗେ ସଂଗେ ଧସିବା ବିପଦ ଉପୁଜି ଥାଏ । ଏସବୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟିବାର ପ୍ରମୁଖ କାରଣଗୁଡ଼ିକ ହେଉଛି ଭୀଷଣ ବୃଷ୍ଟିପାତ, ବାତ୍ୟା, ମୃର୍ତ୍ତିକାକ୍ଷୟ ଓ ଜଙ୍ଗଲଧ୍ୱଂସ । ଖଣି ଖନନ ଓ ପଥର ଉତ୍ଖନନ, ନିମ୍ନମାନର ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ ମଧ୍ୟ ଅନ୍ୟତମ କାରଣ । ଖଣି ଖନନ ଯୋଗୁଁ ଭୂସ୍ଖଳନ ବିପଦର ଆଶଙ୍କା ଅଧିକ । ଏହି କାରଣରୁ ପ୍ରାକୃତିକ ପାହାଡ଼ିଆ ଅଞ୍ଚଳରେ ତୀଖ ଢାଲ ବା ଗଡ଼ାଣିମାନ ସୃଷ୍ଟି ହୋଇ ଭୂସ୍ଖଳନ ସ୍ଥିତି ସୃଷ୍ଟି କରିଥାଏ । ଅବିଚାରିତ ଖଣି ଖନନ ଭୂକମ୍ପନ ଆଶଙ୍କା ବୃଦ୍ଧି କରିଥାଏ । ନିୟମଗିରି ପାହାଡ଼ରେ ବକ୍ସାଇଟ୍ ଖଣି ଖନନ ଯୋଗୁ ଏହି ଅଞ୍ଚଳରେ ମୃର୍ତ୍ତିକାକ୍ଷୟ ଓ ଭୂସ୍ଖଳନ ଆଶଙ୍କା ରହିଛି । ତାଳଚେର ଓ ଇବ୍ ଉପତ୍ୟକାରେ କୋଇଲା ଖନନ ଏବଂ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ ଲୁହାଖଣି ଖନନ ଯୋଗୁଁ ଏହି ବିପଦ ମୁଣ୍ଡ ଉପରେ ରହିଛି ।
Comments are closed.