ଜଳିଗଲା ମଦ ଭର୍ତ୍ତି ଟ୍ରକ , ଆଉ ଲୁଚିଗଲା…..

ରାଜ୍ୟ ମଦ ନିଗମକୁ ଘାରିଛି ଦୁର୍ନୀତିର ନିଶା କୋଟି କୋଟି ଟଙ୍କାର ହେଉଛି ହରିଲୁଟ

27

ଭୁବନେଶ୍ୱର: ରାଜ୍ୟ ମଦ ନିଗମକୁ ଘାରିଛି ଦୁର୍ନୀତିର ନିଶା । କୋଟି କୋଟି ଟଙ୍କାର ହେଉଛି ହରିଲୁଟ ।

ଅଗଷ୍ଟ ୧୮ ତାରିଖରେ ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ନିକଟରେ ଜଳିଗଲା ମଦ ଭର୍ତ୍ତି ଥିବା ଦୁଇଟି ଟ୍ରକ  । ଗୋଟିଏ ଟ୍ରକରେ ଥିଲା ବ୍ଲେଣ୍ଡର୍ସ ପ୍ରାଇଡ ଏବଂ ରୟାଲ ଷ୍ଟାଗ୍ ବ୍ରାଣ୍ଡ ଏବଂ ଅନ୍ୟ ଟ୍ରକରେ ଥିଲା ହଣ୍ଟର ବିଅର ବ୍ରାଣ୍ଡ । ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳକୁ ଦୁଇ ଟ୍ରକ ମଦ ଜଳିପୋଡି ପାଉଁଶ ହୋଇ ଯାଇଥିଲା । ତେବେ ପ୍ରଶ୍ନ ଏଠି,  ଲକ୍ଷ ଲକ୍ଷ ଟଙ୍କାର ମଦ ଜଳିଗଲା କେମିତି ? ଜଳିଗଲା ନା ଜଳାଇ ଦିଆଗଲା ? ଏସବୁର ଉତ୍ତର ଖୋଜୁ ଖୋଜୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛନ୍ତି ।

Sushil lohani

ଯଦିଓ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଲା ବୋଲି ସଫେଇ ଦିଆଯାଉଛି ତଥାପି ଏପରି ଅପ୍ରତ୍ୟାଶିତ ଦୁର୍ଘଟଣା ଉପରୁ ସନ୍ଦେହ ହଟୁନି । କୁହାଯାଉଛି, ଟ୍ରକ ଡ୍ରାଇଭର ନିକଟରେ ରୋଷେଇ କରୁଥିଲା ଏବଂ ସେଥିରୁ ବୋଧହୁଏ ନିଆଁ କୌଣସି କାରଣରୁ ଲାଗି ଯାଇଛି । ଜରପଡା ପୋଲିସ ଡିପୋ ଇନଚାର୍ଜଙ୍କୁ ଏ ନେଇ ଜେରା କରିବା ପରେ ଜଣା ପଡିଛି, ମଦ ନିଗମର ଏହି ଡିପୋରେ କୌଣସି ପ୍ରକାର ଅଗ୍ନି ନିର୍ବାପ ବ୍ୟବସ୍ଥା ନାହିଁ କିମ୍ବା ଗାଡି ନେଇ ଆସୁଥିବା ଡ୍ରାଇଭର ରୋଷେଇ ପାଇଁ କୌଣସି ବ୍ୟବସ୍ଥା ନାହିଁ ।

 

ରାଜ୍ୟ  ମଦ ନିଗମର ଏ ଦୁର୍ନୀତି ଆଜି ନୂଆ ନୁହେଁ । ୨ ବର୍ଷ ତଳେ କମପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ ବା CAG  ଲିକର ସପ୍ଲାଇର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଥିଲେ । ହେଲେ ଆଜିଯାଏ ଏହି ଅନିୟମିତତା ବିରୋଧରେ ରାଜ୍ୟ ମଦ ନିଗମ ବା OSBCL ଚେୟାରମ୍ୟାନ ସୁଶୀଲ କୁମାର ଲୋହାନୀ ଏବଂ ସିଜିଏମ ମାନସ କୁମାର ସ୍ୱାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି ।

 

ସିଏଜି ମାର୍ଚ୍ଚ ୨୦୨୧ରେ  ତାଙ୍କର  ରିପୋର୍ଟରେ ମଦ ଉତ୍ପାଦ ଠାରୁ ଆରମ୍ଭ କରି ଦୋକାନରେ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ଉପରେ  ନଜର ରଖିବା ପାଇଁ ଟ୍ରାକ ଆଣ୍ଡ ଟ୍ରେସ ଉପରେ ଯେପରି ଗୁରୁତ୍ୱ ରଖାଯିବା କଥା ତାହା ବିଭାଗ ପକ୍ଷରୁ କରାଯାଇ ନ ଥିବା ଦର୍ଶାଇଥିଲେ । ଏହି ରିପୋର୍ଟ ୨୦୨୨ ଡିସେମ୍ବର ୨ ତାରିଖରେ ବିଧାନସଭାରେ ରଖା ଯାଇଥିଲା । ଏପରିକି ଏଥିପାଇଁ କୌଣସି ସପ୍ଟଓୟାର କିମ୍ବା ମୋବାଇଲ ଆପ ଡେଭଲପ ହେଇ ନ ଥିବା ନେଇ ଅଡିଟ ଏଜେନ୍ସି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ । ଟ୍ରାକ ଆଣ୍ଡ ଟ୍ରେସ ଦ୍ୱାରା ଲୋକଙ୍କ ପାଖରେ ଉପଯୁକ୍ତ ମାନର ମଦ ପହଞ୍ଚୁଛି କି ନାହିଁ ଏବଂ ସରକାରୀ ଟାକ୍ସରେ ସ୍ୱଚ୍ଛତା ରହୁଛି କି ନାହିଁ ନିଶ୍ଚିତ କରିହେବ ବୋଲି ସିଏଜି କହିଥିଲେ । ଟ୍ରାକ ଆଣ୍ଡ ଟ୍ରେସକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ରିପୋର୍ଟରେ EAL ବା  Excise Adhesive Labels  ଲଗାଇବା ଉପରେ ମଧ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ  ଦିଆଯାଇ ନ ଥିବା ସିଏଜି ତାଙ୍କର ରିପୋର୍ଟରେ କହିଥିଲ।

 

ଆଉ ଏକ ବଡ ଧରଣର ତ୍ରୁଟି ସିଏଜି ଦର୍ଶାଇଥିଲେ । ଏହି ଏଇଏଏଲ କାର୍ଯ୍ୟକାରିତାକୁ ନେଇ ବିଭାଗ ପକ୍ଷରୁ ଅହେତୁକ ବିଳମ୍ବ କରାଯାଇଛି । ୨୦୧୪ ସୁଦ୍ଧା ଏହି ସପ୍ଟୱୟାର କାର୍ଯ୍ୟକାରୀ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲେ ହେଁ ୨୦୨୨ ଶେଷ ସୁଦ୍ଧା ଏହା କରାଯାଇ ନାହିଁ ।

ସିଏଜି ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଓଡ଼ିଶା ବାହାରେ ଥିବା ମଦ ଉତ୍ପାଦ କମ୍ପାନୀ ଜାରି କରିଥିବା ଇଏଏଲ ସଂଖ୍ୟା ଅନୁସାରେ ମଦ ଉତ୍ପାଦନ କରୁ ନ ଥିଲେ   । ଏପରିକି ଆର୍ଥିକ ବର୍ଷ ମଧ୍ୟରେ ଲାଇସେନ୍ସର ନବୀକରଣ ମଧ୍ୟ କରୁନାହାନ୍ତି । ଏହାଦ୍ୱାରା ଏକ ବିପଦର ଆଶଙ୍କା ରହିଥିବା ନେଇ ସିଏଜି ତାଙ୍କ ରିପୋର୍ଟରେ ସୂଚନା ଦେଇଛନ୍ତି । ଏହି ଇଏଏଲକୁ ଓଡ଼ିଶା ଭିତରେ ଥିବା କମ୍ପାନୀକୁ ଡାଇଭର୍ଟ କରାଯାଉଥାଇପାରେ  । ସେମାନ ଏହାକୁ ନିଜ ଉତ୍ପାଦରେ ଲଗାଇ ଏକ୍ସାଇଜ କମିଶନଙ୍କ ଅଗୋଚରରେ ଅଧିକ ଉତ୍ପାଦନ କରୁଥାଇ ପାରନ୍ତି ।

 

ସିଏଜି OSBCL ଡିପୋର ଷ୍ଟୋରେଜ ବ୍ୟବସ୍ଥା ଅବ୍ୟବସ୍ଥାକୁ ନେଇ ମଧ୍ୟ କଡା ସମାଲୋଚନା କରିଥିଲେ । ଉତ୍ପାଦ କିପରି ଖରାପ ନ ହେବ ସେଥିପାଇଁ ଡିପୋରେ କୌଣସି ବ୍ୟବସ୍ଥା ନାହିଁ । ଅର୍ଥାତ ରେଫ୍ରିଜରେଟର ବ୍ୟବସ୍ଥା ଠିକ ନାହିଁ । ଏପରିକି ଉତ୍ପାଦ ଖରା ଓ ବର୍ଷାରେ ଦୀର୍ଘ ସମୟ ଧରି ପଡି ରହୁଥିଲେ ହେଁ ଏହାକୁ ସୁରକ୍ଷିତ ସ୍ଥାନରେ ସଂରକ୍ଷିତ ରଖିବା ବ୍ୟବସ୍ଥା ନାହିଁ । ଏପରି ଅବସ୍ଥାରେ ଉତ୍ପାଦ ଖରାପ ହେବାର ତଥା ଚୋରି ହେବାର ଆଶଙ୍କା ମଧ୍ୟ ରହିଛି । ଏପରିକି ଡିପୋରେ ଉତ୍ପାଦ ନଷ୍ଟ ହେଉଥିଲେ ମଧ୍ୟ OSBCL  ଏଥିପ୍ରତି ଦୃଷ୍ଟି ଦେଉନି । ଆଉ ଏଥିପାଇଁ ରାଜସ୍ୱ କ୍ଷତି ସହିବାକୁ ପଡୁଥିବା ରିପୋର୍ଟରେ ଦର୍ଶାଯାଇଛି ।

Comments are closed.